ଶ୍ରୀ ବୈଷ୍ଣବ ଚରଣ ମହାନ୍ତି ଓଡିଶା ର ଜଣେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଓ ଭାଷାବିତ | ଆଜିର ଏହି ଅଧ୍ୟାୟରେ ସେ ଅକ୍ଷର ଶିକ୍ଷା ରେ ରହିଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଓଡିଆ ଭାଷା କିପରି ବିପର୍ଯ୍ୟୟ ଆଡକୁ ଠେଲିହୋଇ ଯାଉଛି ତାହା ବର୍ଣ୍ଣନା କରିଛନ୍ତି | ୨୦୦୨ ମସିହାରୁ ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରଥମ ଶ୍ରେଣୀରେ ଅକ୍ଷର ଶିକ୍ଷା ପାଇଁ ଲାଗୁ ହୋଇଥିବା ‘ଅକ୍ଷର ଶିକ୍ଷା’ ବହି ଓଡ଼ିଆ ଭାଷାଶିକ୍ଷାର ପ୍ରଭୂତ କ୍ଷତି କରିଛି। ଓଡ଼ିଶାର ତତ୍କାଳୀନ ଡି.ପି.ଆଇ ମହୋଦୟ ସଂଶ୍ଳେଷଣ (ସିନ୍ଥେଟିକ) ପରିବର୍ତ୍ତେ ବିଶ୍ଳେଷଣ (ଆନାଲିଟିକ୍) ପଦ୍ଧତିରେ ଓଡ଼ିଶାର ପିଲାମାନଙ୍କୁ ଅକ୍ଷରଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହି ପୁସ୍ତକ ଲାଗୁ କରିବା ପାଇଁ ଆଦେଶ ଦେଇଥିଲେ। ଏହି ପଦ୍ଧତି ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଏଥିରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ପ୍ରଥମେ ଓଡ଼ିଆ ଅକ୍ଷର ନ ଶିଖି ବରଂ ପ୍ରଥମେ ଶବ୍ଦ ଶିଖୁଛନ୍ତି। ତାହାପରେ ସେମାନଙ୍କୁ ପଢ଼ାଯାଉଥିବା ଅକ୍ଷରଶିକ୍ଷା ମଧ୍ୟ ‘ଅ, ଆ’ରୁ ଆରମ୍ଭ ନ ହୋଇ ଓଡ଼ିଆ ଅକ୍ଷରକ୍ରମର ଅନ୍ୟ କୌଣସି ବର୍ଣ୍ଣ ବା ଅକ୍ଷରରୁ ଆରମ୍ଭ ହେଉଛି। ‘ହସଖେଳ’ ବହିର ପ୍ରଥମ ପାଠରେ ଅଛି ‘ଚ’ ଓ ‘ଟ’, ଅଥଚ ଷଷ୍ଠ ପାଠରେ ଅଛି ‘ଅ’ ଓ ‘ଆ’। ଫଳରେ ଓଡ଼ିଆ ଭାଷାଶିକ୍ଷା ବିପର୍ଯ୍ୟସ୍ତ ହୋଇଯାଇଛି। ୨୦୦୨ ମସିହାରେ ଲାଗୁ ହୋଇଥିବା ଏହି ବହି ପଢ଼ି ଯେଉଁମାନେ ଆଜି ବଡ଼ ହୋଇଛନ୍ତି, ଏପରିକି ମାଟ୍ରିକୁଲେସନ୍ରେ ପ୍ରଥମ ଶ୍ରେଣୀ ପାଇଥିବା ଆଜିର ଛାତ୍ରମାନେ ମଧ୍ୟ ଓଡ଼ିଆରେ ନିର୍ଭୁଲ ଭାବରେ ବାକ୍ୟଟିଏ ଲେଖିପାରୁ ନାହାନ୍ତି। ଓଡ଼ିଆ ଅକ୍ଷରକ୍ରମ ଠିକ୍ ଭାବରେ ଜାଣିନଥିବା ଫଳରେ ସେମାନେ ଓଡ଼ିଆ ଅଭିଧାନରୁ ଶବ୍ଦଟିଏ ଖୋଜିବାକୁ ମଧ୍ୟ ସମର୍ଥ ହେଉନାହାନ୍ତି। ଏଣୁ ଏହି ‘ହସଖେଳ’ ବହିଟିକୁ ପାଠ୍ୟକ୍ରମରୁ ତୁରନ୍ତ ହଟାଯିବା ଜରୁରୀ। ପୂର୍ବରୁ ପ୍ରଚଳିତ ଥିବା ‘ବର୍ଣ୍ଣବୋଧ’ ବହି ବରଂ ଅଧିକ ଉପଯୋଗୀ ଥିଲା।