ହରିଓଁ ସପ୍ରେମ ପ୍ରଣାମ, ଅଧୁନା ସମାଜକୁ ଅନୁଶୀଳନ କଲେ ମନ ଭାରାକ୍ରାନ୍ତ ହୋଇପଡେ। ଆଜି ମନୁଷ୍ୟ ତାର ଆନନ୍ଦ ସ୍ୱରୂପ ଦେବତ୍ଵ ଗୁଣକୁ ଜଳାଞ୍ଜଳି ଦେଇଛି। ବିଜ୍ଞାନର ଅଭିବୃଦ୍ଧି କୁ ଦୁରୁପଯୋଗ କରି ନିଜର ହୀନ ଇନ୍ଦ୍ରିୟ ବାସନା ଓ ସ୍ୱାର୍ଥପରତା ରେ ବିନିଯୋଗ କରିଚାଲିଛି। ଯାହାର ଫଳ ସ୍ୱରୁପ ଧରାପୃଷ୍ଟର ପଞ୍ଚ ଭୌତିକ ପର୍ଯ୍ୟାବରଣ ଆଜି ସମ୍ଫୁର୍ଣ୍ଣ ବିଷାକ୍ତ। ମାତୃବତ ଅମୃତ ପାନ କରାଉଥିବା ଧରିତ୍ରୀ ,ଆଜି ସଭ୍ୟତାକୁ ଧ୍ଵଂସ କରିବାକୁ ଅଗ୍ରସର। ଆଧୁନିକତାର ଚାକଚକ୍ୟ ରେ ଯୁବ ସମାଜ ପଥ ଭ୍ରଷ୍ଟ ଓ ସ୍କଲିତ। ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଧ୍ୟାତ୍ମିକତା ଓ ଆତ୍ମଜ୍ଞାନ କାଲ ଆଗେ ମୂଳା ଖାଇବାପରି ଲାଗେ । କିନ୍ତୁ ସଦ୍ଜନ୍, ମନୁଷ୍ୟ ତାର ଜାଣତରେ ବା ଅଜାଣତରେ ଯେଉଁ କର୍ମ କରୁଥାଏ ତାହାର ମୂଳରେ ବ୍ୟକ୍ତି ବା ଆତ୍ମ ସୁଖ ନିହିତ ଥାଏ କିନ୍ତୁ, ପ୍ରକୃତ ଶାନ୍ତି ଆଉ ସୁଖ ଥାଏ ଆମ ଭିତରେ, ତେଣୁସେହି ଆତ୍ମ ଦର୍ଶନ ଓ ଜୀବ ମୁକ୍ତିର ମାର୍ଗକୁ ଆପଣ ମାନଙ୍କ ସହ ସମ୍ୟକ୍ ଉପସ୍ଥାପନ କରି ସେହି ଚିରନ୍ତନ ସତ୍ୟର ପୁନଃ ଜାଗୃତି କରିବା ,ଆମ୍ଭର ଲକ୍ଷ୍ୟ। ଏଣୁ ହେ ଦିବ୍ୟ ଆତ୍ମନ୍ ଆସନ୍ତୁ ଆମ୍ଭେ ସମସ୍ତେ "ଅହମ୍ ଆତ୍ମା ସର୍ବ ଭୂତାତ୍ମା ନ୍ୟାୟରେ"ସେହି ଅମୃତର ଆସ୍ଵଦନ କରି ଅଜ୍ଞାନ ଓ ମିଥ୍ୟା ରୁପି ଅନ୍ଧାରକୁ, ସତ୍ୟ ଜ୍ଞାନ ରୂପକ ଆଲୋକରେ ଦୂରୀଭୂତ କରି ଏକ ଦିବ୍ୟ ଚେତନା ଜଗତର ଗଠନରେ ସହଭାଗିତା ହେବା। ସ୍ଵ ହମ୍, ଅହଂ ବ୍ରହ୍ମସ୍ମି.